Sunday, December 10, 2023

ଅବ୍ୟକ୍ତ



 ସେ  ମୁଣ୍ଡ ଉଠାଇଲା। ମୋ କାନ୍ଧରେ ତା’ର ଦିଟା ଯାକ ହାତ ରଖିଲା। ମୋ ଆଖିରେ ଆଖି ମିଶେଇଲା। ଆଉ କହିଲା ‘ମୁଁ ତୁମକୁ ଭଲ ପାଏ’। ଏ କଥା ସାରା ଦୁନିଆକୁ ଚିତ୍କାର କରି କହିପାରିବି। ଆଶୀ ଲଭ୍‌ସ ୟୁ। ମୁଁ ବି କହିଦେବାକୁ ଚାହୁଁଥିଲି ମୁଁ ବି ଆଶୀ... ମୁଁ ବି....। ହଠାତ୍‌ ସ୍କ୍ରିନ୍‌ ପଛରୁ ଆୱାଜ ଆସିଲା ପରଫେକ୍ଟ!!! ଦର୍ଶକଙ୍କ ତାଳିରେ ପ୍ରେକ୍ଷାଳୟରେ ଖେଳିଗଲା ମୃଦୁ ଗୁଞ୍ଜରଣ। ମୁଁ ନିଜକୁ ଆବିଷ୍କାର କଲି ମଞ୍ଚ ଉପରେ। ଆଶୀ ମୋ କାନ୍ଧରୁ ହାତ ବାହାର କଲା। ଦର୍ଶକଙ୍କ ଆଡ଼କୁ ଚାହିଁ ମୁଣ୍ଡ ନୁହଁାଇ ଜଣାଇଲା କୃତଜ୍ଞତା। ତା’ପରେ ମଞ୍ଚରୁ ଓହ୍ଲାଇ ଚାଲିଗଲା ଗ୍ରୀନ୍‌ ରୁମ୍‌ ଆଡକୁ। ମୁଁ କିନ୍ତୁ ସେମିତି ଅଟକି ଗଲି ସେଇଠି। ସମୟ ସହିତ। ଜମାରୁ ବିଶ୍ୱାସ ହେଉ ନ ଥିଲା ଏଇଟା ଥିଲା ନାଟକର ରିହାରର୍ସଲ।

ଆଶୀ ସହିତ ସମ୍ପର୍କ କଲେଜ ଦିନରୁ। ହେଲେ ଥିଏଟର ଗ୍ରୁପ୍‌ରେ ମିଶିବା ପରଠୁ ମୁଁ ତା’ ଭିତରେ ଅନୁଭବ କରିଛି ଏକ ନିଆରା ଆକର୍ଷଣ। ସେହି ଆକର୍ଷଣରେ ମୁଁ ତା’ ପାଖକୁ ଟାଣି ହୋଇଯାଉଛି,  ଯେମିତି ନିଅଁା ପାଖକୁ ପତଙ୍ଗ। ଏମିତି ଲାଗୁଛି ତା’ ମୋ ଭିତରେ କମିଯାଇଛି ଦୂରତା । ସେ ଘୋଳି ହୋଇଯାଉଛି ମୋ ଭିତରେ, ଏମିତି କିଛି ଅନୁଭବ ଉକୁଟୁଛି ଭିତରେ, କାହିଁକି କେଜାଣି ?

ଆଶୀ କ୍ରଏଟିଭ୍‌ିଟିର ଗୋଦାମ। ସେ ଅକ୍ଷର ସହ ଖେଳେ। ସ୍କ୍ରିପ୍ଟ ଲେଖେ। ଗୀତ ଗାଏ। ଗୀଟାର ବଜାଏ। କବିତା ଲେଖେ। ମୁଁ ପୁସ୍ତକ କୀଟ। ମୋଟା ମୋଟା ବହି ଭିତରେ ଧସି ହୋଇ ରହିଯିବା ଛଡ଼ା କିଛି ଜାଣେନା। ସମୟ ବହି ଭିତରୁ ବାହାରିବାକୁ ସୁଯୋଗ ଦେଲାନି। ଆଉ ଦୁନିଆରେ ପ୍ରେମ ବୋଲି ଗୋଟେ କିଛି ଅଛି, ସେ କଥା ବି କେମିତି କେଜାଣି ରହିଗଲା ବୟସର ଭାଙ୍ଗରେ। ହେଲେ ଏବେ ଆଶୀ ଆସିବା ଦିନକୁ ସବୁକିଛି ଯେମିତି ଫର୍ଚ୍ଚା ହୋଇଚାଲିଥିଲା ଧୀରେ ଧୀରେ।

ଆଜି ରିହଲର୍ସଲର ଶେଷଦିନ।  ସନ୍ଧ୍ୟାରେ ପ୍ଲେ। ତା’ ପରେ ଆଶୀ ଚାଲିଯିବ ପୁନେ ମୁଁ ଭୁବନେଶ୍ୱର। ପୁଣି କେବେ ଦେଖାହେବ କି ନାହିଁ !!! ଓଜନଦାର ହୋଇଗଲା ମନ। ଏମିତି ଲାଗିଲା ବରଫରେ ଜମିଯାଇଛି ପାଦ।  କିଛି ଗୋଟେ ସମାଧି ନେଉଛି ଛାତି ଭିତରେ। ଏସବୁ ଭାବିବା ବେଳକୁ ମୁଁ ନିଜକୁ ଆବିଷ୍କାର କଲି ମଞ୍ଚରେ। ଏବେ ମୋ ପାଳି। ମୋ ଡାଇଲଗ। ଡାଇଲଗରେ ସେହି କଥା କହିବାକୁ ପଡ଼ିବ। ସେହି କଥା, ଯାହା ଅନେକ ଥର ଓଠ ପାଖକୁ ଆସି ଅଜଣା ଭୟରେ ଫେରିଯାଇଛି। ସ୍କ୍ରିନ୍‌ ସେପଟୁ ସିଗ୍‌ନାଲ ଦେଲେ ଡାଇରେକ୍ଟର।  ରେଡି ଥ୍ରୀ...ଟୁ...ୱାନ..ଗୋ...

‘ହଁ ମୁଁ ତୁମକୁ ଭଲପାଏ। ଆଉ ତମେ? ସେ ମୁଣ୍ଡ ଟୁଙ୍ଗାରି ଜଣାଇଲା ସମ୍ମତି। ସେ ହଜିଯାଇଥିଲା ମୋ ଆଖିରେ। ଥରଥର ହେଉଥିଲା ତା’ ଓଠ।  ତା’ ଅଙ୍ଗୁଠି ସ୍ପର୍ଶରେ ମୁଁ ଥରୁଥିଲି ଗୋଟାପଣେ। ଲାଗୁଥିଲା ମୋ କପାଳଠୁ ଆରମ୍ଭ କରି ଶିରାପ୍ରଶିରାରେ ସେ ଧାଉଁଛି। ଏଥର ବି ଦର୍ଶକଙ୍କ କରତାଳି ମତେ ଟାଣି ଆଣିଲା ଭାବନା ଭିତରୁ । ମନ ଏବେ ବି ମାନିବାକୁ ନାରାଜ ଏହା ନାଟକ। ମୁଁ ଅଭିନୟ କରୁଛି। ଲାଗୁଥିଲା ଜୀବନର ଗୋଟେ ପରିଚ୍ଛଦ ମୁଁ ନିଜ ହାତରେ ଲେଖିସାରିଛି ମଞ୍ଚ ଉପରେ, ଜଷ୍ଟ ଟିକେ ଆଗରୁ। 

ଧୀରେ ଧୀରେ ଖାଲି ହେଉଥିଲା ପ୍ରେକ୍ଷାଳୟ। ମୁଁ ଓଜନଦାର ମନ ନେଇ ଦରାଣ୍ଡୁଥିଲି ସେସବୁ ଡାଇଲଗ, ଯାହା କିଛି ସମୟ ଆଗରୁ ମିଶିଯାଇଥିଲା ପବନରେ। ଆଶୀ ଆସିଲା। ମତେ ଲାଗି ବସିଗଲା। ମୁଁ ଥଙ୍ଗ ଥଙ୍ଗ ହୋଇ ପଚାରିଦେଲି ନାଟକ ବଢ଼ିଆ ଥିଲା ନା? ହୁଁ...ସେ ଉତ୍ତର ଦେଲା। ଜୀବନ୍ତ ଥିଲା ତୁମ ଡାଇଲଗ୍‌। ମୁଁ ଅନୁଭବ କରିପାରୁଥିଲି ପ୍ରତିଟି ଶବ୍ଦ। ହବନି କେମିତି ଯେ... ଦି ସେକେଣ୍ଡ ରହି ସେ ପୁଣି କହିଲା। ତୁମେ ତ ଆଉ ଅନ୍ୟ ଆର୍ଟିଷ୍ଟଙ୍କ ପରି ମଞ୍ଚରେ ଅଭିନୟ କରୁ ନ ଥିଲ। କହିଚାଲିଥିଲ ମନ ତଳର ଅକୁହା କଥା। ମୁଁ ଆବାକାବା ହୋଇ ଚାହିଁ ରହିଥିଲି ଆଶୀକୁ। ତା’ମାନେ ସେ କ’ଣ ବୁଝିପାରିଛି ସେସବୁ ପ୍ରେମର ନୀରବ ଭାଷା, ଯାହା ଆଜି ଯାଏ ମୁଁ କହିବି କହିବି ଭାବି କହିପାରିନି !!!

...ବୁଦ୍ଦୁ। ତୁମେ ଦେଇ କିଛି ହବନି, କ’ଣ ଏକଥା ମୁଁ ଜାଣିନି!!! ସେଇଥି ପାଇଁ ତ ଏତକ ତୁମ ମୁହଁରୁ ଶୁଣିବି ବୋଲି ପୂରା ସ୍କ୍ରିପ୍ଟ ଲେଖି ଦେଇଗଲି। ଅଥଚ ତୁମେ ଯୋଉ ବୁଦ୍ଦୁକୁ ସେହି ବୁଦ୍ଦୁ। ଘୁଷୁରୀ, ଛେଳି, ମେଣ୍ଢା, ହାତୀ....ସେ ଜୋରରେ ହସିଲା। କେଇ ମୁହୂର୍ତ୍ତ ପରେ କହିଲା, ମୁଁ ବି ତୁମକୁ ହରାଇବାକୁ ଚାହେଁନି ଅକ୍ଷର। ଯାହା ଷ୍ଟେଜରେ କହିଲ ଏବେ ବେକ୍‌ ଷ୍ଟେଜରେ ଥରେ କୁହନା? ସରିଯାଇଥିଲା ଅୟୁତ ଯୁଗର ଅପେକ୍ଷା। ‘ମୁଁ ବି ତୁମକୁ ବହୁତ ଭଲ ପାଏ। ନିଜଠୁ ବି ବେଶି। ଲଭ୍‌ ୟୁ ଆଶୀ’। ଏହି ଧାଡ଼ିକ କହିବା ବେଳକୁ ଢିଲା ପଡି ଆସୁଥିଲା ଦୁଇ ବାହୁ। ସେ ଜାବୁଡ଼ି ଧରିଲା। ପ୍ରେକ୍ଷାଳୟର ନୀରବତା ଭିତରେ ଆମେ ଦୁହେଁ ଅନୁଭବ କରିପାରୁଥିଲୁ ପ୍ରେମର କୋଳାହଳ। ଲାଗୁଥିଲା ଗୋଟେ ଅଜଣା ଶକ୍ତି ଯେମିତି ଆକାଶରୁ ଅଜାଡ଼ି ଦେଉଛି ଅଗଣିତ ଆଶୀର୍ବାଦ।


Please read other interesting shorty stories below :

ସବୁ ସ୍ବାର୍ଥପର ତୁ ଏକା ନିଜର : https://dharakote.blogspot.com/2023/12/blog-post_10.html


Writer : Bikaram Prasad Panda

ସବୁ ସ୍ବାର୍ଥପର ତୁ ଏକା ନିଜର

|| ସବୁ ସ୍ବାର୍ଥପର ତୁ ଏକା ନିଜର || 


 "ପ୍ରଦ୍ୟୁମ୍ନ ବାବୁ ଏବଂ ତାଙ୍କ ପତ୍ନୀ ପ୍ରମିଳାଙ୍କ ଖୁସି କହିଲେ ନସରେ।ଯାହେ ହେଉ ଶେଷରେ ମହାପ୍ରଭୁ ତାଙ୍କ ଡାକ ଶୁଣିଛନ୍ତି, ପୁଅ ଆଲୋକ ଶିକ୍ଷା ବିଭାଗରେ ଭଲ ଚାକେରି ଟିଏ ପାଇଛି ।ଭୁବନେଶ୍ବରରେ ରୁହନ୍ତି
ପ୍ରଦ୍ୟୁମ୍ନ ବାବୁ । ସ୍ତ୍ରୀ ଏବଂ ପୁଅ ଆଲୋକକୁ ନେଇ ଛୋଟିଆ ପରିବାର। ଚାକେରି ରୁ ବର୍ଷେ ହେବ ଅବସର କରିଥାନ୍ତି । ଅବସର ପରେ ଯାହା ପଇସା ପାଇଥିଲେ ସେଥିରେ ଭୂବନେଶ୍ବରରେ ଯାଗା ଖଣ୍ଡେ କିଣି ଘର କରିଦେଲେ । ବର୍ତ୍ତମାନ ଚଳିବା ପାଇଁ ପେନସନ ଉପରେ ନିର୍ଭର କିନ୍ତୁ ପୁଅ ଚାକେରି ପରେ ସବୁ ଚିନ୍ତା ଗଲା  ।
        ଡେରି ନକରି ଏଥର ଭଲ ଝିଅଟେ ଦେଖି 
ପୁଅ ଆଲୋକକୁ ବାହା କରିଦେଲେ। ନିକଟ ସମ୍ପର୍କୀୟ ଝିଅଟି, ନାଁ ଅନିମା । ଅନିମା ବି ଶାଶୁ ଶଶୁରଙ୍କ ସେବା
କରନ୍ତି କିନ୍ତୁ ଧିରେ ଧିରେ ସେଥିରେ କମି ପରିଲିକ୍ଷିତ ହୁଏ।
         ପ୍ରଦ୍ୟୁମ୍ନ ବାବୁ ଏବଂ ତାଙ୍କ ପତ୍ନୀ ମହାପ୍ରଭୁଙ୍କୁ ବହୁତ ଭଲ ପାଆନ୍ତି।ଦୁହେଁ ଠାକୁର ପୂଜାରେ ଅଧିକ ସମୟ ଅତିବାହିତ କରନ୍ତି ।ଠାକୁରଙ୍କୁ ଭୋଗ ଲଗାଇ ସାରିଲା ପରେ ଖାଆନ୍ତି ।ପଦ୍ୟୁମ୍ନ ବାବୁ ପ୍ରତି ମାସର ଏକ ନିର୍ଦ୍ଦିଷ୍ଟ ତାରିଖରେ ବାହାରକୁ ଯାଉଛି କହି କୁଆଡେ ଯାଆନ୍ତି କେହି ଜାଣନ୍ତିନି । ଏମିତି ଖୁସିରେ ସମୟ ଅତିବାହିତ ହେଉଥାଏ ।
         ଦିନେ ପ୍ରମିଳା ଦେବୀ ପୂଜା କରିବାକୁ ଠାକୁର ଘରକୁ ଯାଉଥାନ୍ତି ।ସେହି ସମୟରେ ବୋହୁ ଅନିମାର କିଛି କଥା , ଯାହା ସିଏ ଆଲୋକକୁ କହୁଥିଲେ ଶୁଣି ତାଙ୍କ ମୁଣ୍ଡ କ'ଣ ହୋଇଗଲା । ସେ ତଳେ ପଡିଗଲେ । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍ କୁ ନିଆଗଲା କିନ୍ତୁ ଡାକ୍ତରଙ୍କ ସମସ୍ତ ପରିଶ୍ରମ ବିଫଳ ହେଲା । ସେ ଅଫେରା ଦୁନିଆର ଯାତ୍ରୀ ହୋଇଗଲେ କିନ୍ତୁ ମୃତ୍ୟୁ ପୂର୍ବରୁ ବୋହୁ କହିଥିବା ସମସ୍ତ କଥା ପ୍ରଦ୍ୟୁମ୍ନ ବାବୁଙ୍କୁ କହି ଦେଇଥିଲେ । ଏଥର ପ୍ରଦ୍ୟୁମ୍ନ ବାବୁ ଏକା ହୋଇଗଲେ । ସର୍ବଦା ମହାପ୍ରଭୁଙ୍କୁ ଡାକନ୍ତି । ଏଥର ଆଗ ଅପେକ୍ଷା ଅଧିକ ସମୟ ଠାକୁର ଘରେ ବିତେ ।
        ପ୍ରଦ୍ୟୁମ୍ନ ବାବୁ ବି ଏଥର ଶୁଣିବାକୁ ପାଇଲେ ବୋହୁ ଅନିମା ତାଙ୍କ ପୁଅକୁ କହିବାର " ତୁମ ବାପାଙ୍କୁ ନେଇ ଅଲଗା କେଉଁଠି ରଖ, ମୁଁ ତାଙ୍କ ସେବା କରି ପାରିବିନି , ମୁଁ ଘରେ ଫ୍ରୀ ରେ ରହି ପାରୁନି, ତୁମେ ତାଙ୍କୁ ଅନାଥାଶ୍ରମରେ ଛାଡି ଦେଉନ " ।ଏଭଳି ଶୁଣି ମଧ୍ୟ ତାଙ୍କ ପୁଅ କୌଣସି ବିରୋଧ ନ କରିବା ତାଙ୍କୁ ଅଧିକ ଚକିତ କଲା । ଏହାର କିଛି ଦିନ ପରେ,ଦିନେ ଅପରାହ୍ନ ସମୟ, ପୁଅ ଆଲୋକ ଆସି ମୁଣ୍ଡ ତଳକୁ କରି ଠିଆ ହେଲା । କହିଲା ବାପା କିଛି କହିବାକୁ ଆସିଛି ।
ପ୍ରଦ୍ୟୁମ୍ନ ବାବୁ କହିବାକୁ କହିବାରୁ ଆଲୋକ କହିଲେ "ବାପା ତୁମେ ରହିବା ପାଇଁ ମୁଁ କଥା ହୋଇଛି ତୁମର କିଛି ପ୍ରୋବ୍ଲେମ ହେବ ନାହିଁ ,ମୁଁ ପ୍ରତି ମାସରେ ଯାଇ ଦେଖା କରି ଆସିବି "।
                  ଏହା ଶୁଣି ପ୍ରଦ୍ୟୁମ୍ନ ବାବୁ କିଛି ସମୟ ଚୁପ୍ ହୋଇଯାଇ କହିଲେ ବର୍ତ୍ତମାନ ଯିବା। ଆଲୋକ ମୁଣ୍ଡ ତଳକୁ କରି କହିଲେ କାଲି ସକାଳୁ କିନ୍ତୁ ପ୍ରଦ୍ୟୁମ୍ନ ବାବୁ ଟିକିଏ ସମୟ ଅପେକ୍ଷା କରିବାକୁ କହି ଠାକୁର ଘରକୁ ଯାଇ କାନିରେ କ'ଣ ବାନ୍ଧି ଫେରି ଆସିଲେ ।ଆଉ କହିଲେ ମୁଁ ଗାଡିକୁ ଯାଉଛି ତୁ ଆସେ ।ଆଲୋକ ସଂପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇ ଠିଆ ହୋଇଥାଏ,ବାପାଙ୍କ ଏତାଦୃଶ ବ୍ୟବହାର ତାଙ୍କୁ ବିସ୍ମିତ କରୁଥାଏ । ସେ ଭାବିଥିଲେ ତାଙ୍କ ବାପା କାନ୍ଦିବେ ମନ ଦୁଃଖ କରିବେ କିନ୍ତୁ ସେମିତି କିଛି ନାହିଁ କୌଣସି ବିରୋଧାଭାବ ବି ନାହିଁ । ବାପାଙ୍କ ପଛେ ପଛେ ଗାଡି ପାଖକୁ ଗଲେ ଆଲୋକ ବାବୁ, ସେତେବେଳକୁ ଗାଡିର ଝରକା ଖୋଲି ପ୍ରଦ୍ୟୁମ୍ନ ବାବୁ ଭିତରେ ବସି ସାରିଥାନ୍ତି ।ଡ୍ରାଇଭର ସିଟ୍ ରେ ବସିପଡି ଆଲୋକ ବାବୁ ଗାଡି ଷ୍ଟାର୍ଟ କଲେ । ଗାଡି ଚାଲିଥାଏ ସତେ ଅବା ଦୁଇଟି ଅଚିହ୍ନା ବ୍ୟକ୍ତି ଗାଡିରେ ବସିଛନ୍ତି କୌଣସି କଥୋପକଥନ ନାହିଁ ।ଗାଡି ଯାଇ ଲାଗିଲା ଏକ ବୃଦ୍ଧାଶ୍ରମ ପାଖରେ ।ସଂଧ୍ୟା ସମୟ ଭିତରକୁ ଯାଉ ଯାଉ ନଜର ପଡିଲା ଅପୂର୍ବ ମହାପ୍ରଭୁଙ୍କର ସୁନାବେଶର ବିରାଟ ବଡ ପ୍ରତିଛବି
ଯାହା କାନ୍ଥରେ ଝୁଲି ସମସ୍ତଙ୍କୁ ବିମୋହିତ କରୁଛନ୍ତି ।
ମହାପ୍ରଭୁଙ୍କ ଆଖିରେ ଆଖି ମିଶିଗଲା ପ୍ରଦ୍ୟୁମ୍ନ ବାବୁଙ୍କର, କେଇ ଟୋପା ଲୁହ ବୋହି ଆସିଲା । ଭିତରୁ ଛୁଟି ଆସୁଥିଲା ଭାଗବତର ମଧୁର ରସଧ୍ବନି ।
ପ୍ରଦ୍ୟୁମ୍ନ ବାବୁଙ୍କୁ ଦେଖି ଧାଇଁ ଆସିଲେ ବୃଦ୍ଧାଶ୍ରମକୁ ବୁଝାସୁଝା କରୁଥିବା କାଳନ୍ଦି ବାବୁ ।ପ୍ରଦ୍ୟୁମ୍ନ ବାବୁଙ୍କୁ ପ୍ରଣାମ କରି ଦୁଇଟି ଚେୟାର ବଢାଇ ଦେଲେ ସେମାନଙ୍କ ଉଦ୍ଦେଶ୍ୟରେ । ପ୍ରାଥମିକ କାର୍ଯ୍ୟ ଯେଉଁଠି ଯାହା ଦସ୍ତଖତ କରିବା କଥା ତାହା ସଂପୂର୍ଣ୍ଣ କରାହେଲା  ।ତାହା ପରେ ପ୍ରଦ୍ୟୁମ୍ନ କାନିରେ ବାନ୍ଧି ଆଣିଥିବା ମହାପ୍ରଭୁଙ୍କର ଛୋଟିଆ ବିଗ୍ରହଟିକୁ ବାହାର କରି କାନିରେ ପୋଛି ଦେଇ କହିଲେ "ସବୁ ସ୍ବାର୍ଥପର ତୁମେ ହିଁ ନିଜର" କହି ବଢାଇ ଦେଲେ କାଳନ୍ଦି ବାବୁଙ୍କୁ ।କହିଲେ ମୋ କାଳିଆ ପୁଅକୁ ଟିକିଏ କେଉଁଠି ଭଲରେ ରଖି ଦେବେ।କାଳନ୍ଦି ବାବୁଙ୍କ ଆଖିରେ ଲୁହ ଥିଲା ଏକ ସ୍ବତନ୍ତ୍ର ଘରକୁ ନେଇ ଦେଖେଇ ଦେଲେ ତାଙ୍କ ରହିବା ଉଦ୍ଦେଶ୍ୟରେ ।
          ଆସନ୍ତାକାଲି ଆସିବାକୁ କହି ଯେତେବେଳେ ଆଲୋକ ବାବୁ ବାହାରିଲେ ପ୍ରଦ୍ୟୁମ୍ନ ବାବୁ କହିଲେ "ପୁଅ ଦେଖିକି ଯିବୁ, ଗାଡି ଧିରେ ଚଲେଇବୁ ଆଉ ତୋର ଯତ୍ନ ନେବୁ " । ସତରେ ବାପା ବାପା ଏତେ ପରେ ବି ବାପା ସର୍ବଦା ସନ୍ତାନର ମଙ୍ଗଳ ହିଁ ଚାହେଁ ।
ଆଲୋକ ବାବୁ ଫେରି ଆସିଲେ କିନ୍ତୁ ରାତି ସାରା ତାଙ୍କୁ ନିଦ ନାହିଁ ବାପାଙ୍କ ବ୍ୟବହାର ତାଙ୍କୁ ବ୍ୟଥିତ କରିଥିଲା, ତାପରେ କାଳନ୍ଦି ବାବୁ ବି ତାଙ୍କ ବାପାଙ୍କ ସହିତ ଯେମିତି ମିଶୁଥିଲେ ସତେ ଅବା ସେ ତାଙ୍କୁ ଆଗରୁ ଜାଣିଛନ୍ତି ।
           ପରଦିନ ସକାଳୁ ବାପାଙ୍କର କିଛି ପୋଷାକ ପରିଛଦ ଏବଂ ପୂର୍ବରୁ କଥା ହୋଇଥିବା କିଛି ଟଙ୍କା ଯାହା ବୃଦ୍ଧାଶ୍ରମକୁ ଦିଆ ହେବା କଥା ତାହା ସାଙ୍ଗରେ ନେଇ ବାହାରି ପଡିଲେ ଆଲୋକ ବାବୁ ।ଯାଇ ପହଁଚିଲେ ବୃଦ୍ଧାଶ୍ରମରେ । ପୂର୍ବରୁ କାଳନ୍ଦି ବାବୁ ସେଠି ଉପସ୍ଥିତ ଥିଲେ ,ପାଖରେ ଏକ ଚେୟାର ପକାଇ ଆଲୋକ ବାବୁଙ୍କୁ ବସିବାକୁ କହିଲେ ।ଆଲୋକ ବାବୁ ବସିଲେ ଏବଂ ଆଣିଥିବା ଟଙ୍କାକୁ ବଢାଇ ଦେଲେ କିନ୍ତୁ କାଳନ୍ଦି ବାବୁ ରଖିବାକୁ ମନାକଲେ । ଏହା ଦେଖି ଟିକିଏ ରାଗିଗଲେ ଆଲୋକ ବାବୁ ,କହିଲେ ଏତେ ସିମ୍ପାଥି ଦେଖେଇବା ଦରକାର ନାହିଁ ,ମୁଁ ଦେଖୁଛି ଆପଣ ପ୍ରାପ୍ୟଠୁ ଅଧିକ ସମ୍ମାନ ଆମକୁ ଦେଉଛନ୍ତି।କ'ଣ ପାଇଁ ?
          ଆଲୋକର କଥାଶୁଣି କାଳନ୍ଦି ବାବୁ କହିଲେ ଯଦି ଶୁଣିବାକୁ ଚାହୁଁଛୁ ଶୁଣୁ । ଏହା ବୃଦ୍ଧାଶ୍ରମ ଆଗରୁ ଏକ ଅନାଥାଶ୍ରମ ଥିଲା । ଆଉ ସେତେବେଳେ ବି ତାହାର ସମସ୍ତ ଦାୟିତ୍ବ ମୋ ଉପରେ ନ୍ୟସ୍ତ ଥିଲା ।
ତୁ ସେଇ ଅନାଥାଶ୍ରମର ଗୋଟିଏ ପିଲା ଥିଲୁ । ପ୍ରଦ୍ୟୁମ୍ନ ବାବୁଙ୍କର କୌଣସି ସନ୍ତାନ ନଥିଲେ ସେଇ ଅନାଥାଶ୍ରମ କୁ ବୁଲି ଆସିଥିବା ସମୟରେ ତୁ ତାଙ୍କ ହାତ ଧରି ପକାଇ ଥିଲୁ ।ତେଣୁ ତୋତେ ସିଏ ଗ୍ରହଣ କରିନେଲେ
ତୋର ହାତ ସିଏ କେବେ ଛାଡି ନାହାନ୍ତି କିନ୍ତୁ ତୋ ଭଳି ଅନାଥକୁ ସନ୍ତାନର ପରିଚୟ ଦେଇ ମଣିଷ କଲେ ଆଜି ତାଙ୍କ ଏଇ ଅବସ୍ଥାରେ ତୁ ହାତ ଛାଡି ଦେଲୁ ।
ତୁ ଜାଣିଛି ସମସ୍ତେ ବର୍ଷରେ ଥରେ ଜନ୍ମ ବାର୍ଷିକ ପାଳନ କରନ୍ତି କିନ୍ତୁ ତୋ ବାପା ପ୍ରତି ମାସରେ ତୋର ଜନ୍ମ ବାର୍ଷିକ ପାଳନ କରନ୍ତି ।ତୋତେ ଯେଉଁ ତାରିଖରେ ଏଠାରୁ ନେଇଥିଲେ ପ୍ରତି ମାସ ସେହି ତାରିଖରେ ଏଠାକୁ ଆସନ୍ତି ।ଆଉ ସେହି ଗୋଟେ ଦିନର ଖର୍ଚ୍ଚ ସିଏ ବହନ କରନ୍ତି । ଭାବନ୍ତି ଏମିତି କଲେ ତୋର ମଙ୍ଗଳ ହେବ ।ଯେଉଁ ପଛପଟେ ମହାପ୍ରଭୁଙ୍କ ଫଟୋ ଦେଖୁଛୁ ତାହା ବି ତୋ ବାପା ଦେଇଛନ୍ତି ।
              ସ୍ଥାଣୁ ହୋଇ ଛିଡା ହୋଇଥିଲା ଆଲୋକ ।ଆଖିରୁ ବହି ଚାଲିଥିଲା ଲୋତକର ଧାର ।କ'ଣ କଲା ସିଏ ।ଅନାଥ ହୋଇ ଯେଉଁ ବାପା ମାଆ ତାକୁ ଜଣେଇ ଦେଇ ନଥିଲେ ସେ ଅନାଥ ବୋଲି ଆଜି ନିଜ ସ୍ବାର୍ଥ ପାଇଁ ତାଙ୍କୁ ହତାଦାର କରିଦେଲି ।ଯେଉଁ ଘରେ ମୋର ଅଧିକାର ନାହିଁ କିନ୍ତୁ ତାଙ୍କ ଘରୁ ତାଙ୍କୁ ତଡି ଦେଲି । ଆଲୋକ କହିଲା ମୋତେ ଟିକେ ବାପାଙ୍କ ପାଖକୁ ନେଇଚାଲ । 
          ଆଲୋକ ଧାଇଁଗଲା ବାପାଙ୍କ ପାଖକୁ, ଧରି ପକାଇଲା ଗୋଡକୁ କହିଲା କ୍ଷମା କରନ୍ତୁ ମୋତେ ।ଆପଣଙ୍କ ଘରକୁ ଆପଣ ଚାଲନ୍ତୁ ସେ ଘରେ ମୋର ଅଧିକାର ନାହିଁ ।କୌଣସି କଥା ଆଉ ବାହାରୁ ନଥିଲା ଆଲୋକର ପାଟିରୁ ଖାଲି ହିକା ମାରି କାନ୍ଦୁଥିଲା ।
          ପ୍ରଦ୍ୟୁମ୍ନ ବାବୁ ଆଲୋକକୁ କୋଳେଇ ନେଲେ କହିଲେ କାନ୍ଦେନା ଆଲୋକ ।ମୁଁ ଆଉ ଘରକୁ ଫେରିବାକୁ ଚାହୁଁନି ।ତୋ ମାଆ ତ ଛାଡି ଚାଲିଗଲା ମୋତେ ସେଠି ଏକୁଟିଆ ଭଲ ଲାଗିବନି ।ଏଠି ବରଂ ସମସ୍ତଙ୍କ ସହିତ ସମୟ କଟିଯିବ ।
         ନିରାଶ ମନରେ ଆଲୋକ ଫେରିଲା ।ଆଉ ନୀଳ ଆକାଶକୁ ଅନେଇ ଭାବୁଥାଏ....ସତରେ କଣ ମୋ ଭୁଲ୍ ର କ୍ଷମା ଅଛି ।


 

Source : Internet

DM for credit

Facebook COmment

Related Posts Plugin for WordPress, Blogger...