Tuesday, December 5, 2023

ବାଜେ କଥା : 1

 ବାଜେ କଥାଗୁଡ଼ାକ। କ’ଣ ପାଇବେ ଏଗୁଡ଼ାକୁ ପଢ଼ି। ଯଦି ବି ପଢ଼ିବେ, ପ୍ଲିଜ୍‌ କାହାକୁ କହିବେନି। ନ ହେଲେ ସମସ୍ତେ କହିବେ ବାଜେ ପିଲାଟା, ଗୁଡ଼ାଏ ବାଜେ କଥା ଗପୁଛି। ଭାଗ୍‌ ଏଠୁ...



#ବ୍ରୋକେନ ହାର୍ଟ
-ମଲ୍‌ର ହେଙ୍ଗ୍‌ରରେ ଟଙ୍ଗା ହୋଇଥିଲା ଟି-ସାର୍ଟଟେ। ରକ୍ତ ରଙ୍ଗର ହୃଦୟଟେ ଭାଙ୍ଗି ବିକ୍ଷିପ୍ତ ହୋଇପଡ଼ିଥିଲା। ବଡ଼ବଡ଼ ଅକ୍ଷରରେ ଲେଖା ହୋଇଥିଲା ‘ଏ ବ୍ରୋକେନ ହାର୍ଟ ଓ୍ବେଇଟିଂ ଫର୍‌ ବିଉଟି’। ଓଡ଼ିଆରେ କହିଲେ ‘ଭଙ୍ଗା ହୃଦୟଟେ ସୁନ୍ଦରୀଙ୍କ ଅପେକ୍ଷାରେ। ଏମିତି ବି ବୁଝାଯାଇପାରେ ‘ଭଙ୍ଗା ହୃଦୟକୁ ସଜାଡ଼ିବାକୁ ସୁନ୍ଦରୀଟେ ଲୋଡ଼ା’। ମଲ୍‌ରେ ବୁଲୁଥିବା ପିଲାଟାକୁ କୋଟେଶନଟା ପସନ୍ଦ ଆସିଗଲା। ଦୌଡ଼ି ଆସି ସଙ୍ଗେ ସଙ୍ଗେ ଉଠାଇନେଲା। ସାଇଜ୍‌ ମାପିଲା। ବିଲ୍‌ କଲା। ବଡ଼ ବଡ଼ ପାହୁଣ୍ଡ ପକାଇ ଏକ୍‌ଜିଟ୍‌ ଗେଟ୍‌ ଦେଇ ବାହାରକୁ ଚାଲିଯିବା ଆଗରୁ ମୁହଁାମୁହିଁ ହୋଇଗଲା ଜିନ୍ସ, ଟି-ଶାର୍ଟ ପିନ୍ଧା ସୁନ୍ଦରୀଟେ। ପିଲାଟାର ମନକୁ କ’ଣ ଢୁକିଲା କେଜାଣି, ଦି ହାତରେ ସାର୍ଟଟାକୁ ଖୋଲା କରି ଧରିଲା। ବୋଧେ ହୁଏ ଝିଅଟାର ପ୍ରତିକ୍ରିୟା ଜାଣିବାକୁ ଚାହୁଁଥିଲା। ତରୁଣୀ ଜଣକ ସାମାନ୍ୟ ସ୍ମିତହାସ୍ୟ ଦେଲା। ଦି ସେକେଣ୍ଡ ନୀରବରେ ରହି ବୁଲିପଡ଼ିଲା। ତା’ ଟି-ସାର୍ଟ ପଛରେ ଲେଖାଥିଲା ‘ଆଇ ଲଭ୍‌ ୟୁ ବ୍ରୋକେନ ହାର୍ଟ’। ଦୁହେଁ ଦୁହିଁଙ୍କ ମୁହଁକୁ ଚାହିଁ ବେଦମ ହେବା ଯାଏ ହସିଲେ। ବୋଧେ ହୁଏ ଦି’ଟା ଭଙ୍ଗା ହୃଦୟରେ ସେଫ୍‌ଟିକ୍‌ ପିନ୍‌ଟେ ଲଗାଇ ଦେଇଥିଲା ସମୟର କାନ୍‌ଭାସ।

Writer : Bikram Prasad Panda

No comments:

Post a Comment

Facebook COmment

Related Posts Plugin for WordPress, Blogger...