Sunday, December 10, 2023

ସବୁ ସ୍ବାର୍ଥପର ତୁ ଏକା ନିଜର

|| ସବୁ ସ୍ବାର୍ଥପର ତୁ ଏକା ନିଜର || 


 "ପ୍ରଦ୍ୟୁମ୍ନ ବାବୁ ଏବଂ ତାଙ୍କ ପତ୍ନୀ ପ୍ରମିଳାଙ୍କ ଖୁସି କହିଲେ ନସରେ।ଯାହେ ହେଉ ଶେଷରେ ମହାପ୍ରଭୁ ତାଙ୍କ ଡାକ ଶୁଣିଛନ୍ତି, ପୁଅ ଆଲୋକ ଶିକ୍ଷା ବିଭାଗରେ ଭଲ ଚାକେରି ଟିଏ ପାଇଛି ।ଭୁବନେଶ୍ବରରେ ରୁହନ୍ତି
ପ୍ରଦ୍ୟୁମ୍ନ ବାବୁ । ସ୍ତ୍ରୀ ଏବଂ ପୁଅ ଆଲୋକକୁ ନେଇ ଛୋଟିଆ ପରିବାର। ଚାକେରି ରୁ ବର୍ଷେ ହେବ ଅବସର କରିଥାନ୍ତି । ଅବସର ପରେ ଯାହା ପଇସା ପାଇଥିଲେ ସେଥିରେ ଭୂବନେଶ୍ବରରେ ଯାଗା ଖଣ୍ଡେ କିଣି ଘର କରିଦେଲେ । ବର୍ତ୍ତମାନ ଚଳିବା ପାଇଁ ପେନସନ ଉପରେ ନିର୍ଭର କିନ୍ତୁ ପୁଅ ଚାକେରି ପରେ ସବୁ ଚିନ୍ତା ଗଲା  ।
        ଡେରି ନକରି ଏଥର ଭଲ ଝିଅଟେ ଦେଖି 
ପୁଅ ଆଲୋକକୁ ବାହା କରିଦେଲେ। ନିକଟ ସମ୍ପର୍କୀୟ ଝିଅଟି, ନାଁ ଅନିମା । ଅନିମା ବି ଶାଶୁ ଶଶୁରଙ୍କ ସେବା
କରନ୍ତି କିନ୍ତୁ ଧିରେ ଧିରେ ସେଥିରେ କମି ପରିଲିକ୍ଷିତ ହୁଏ।
         ପ୍ରଦ୍ୟୁମ୍ନ ବାବୁ ଏବଂ ତାଙ୍କ ପତ୍ନୀ ମହାପ୍ରଭୁଙ୍କୁ ବହୁତ ଭଲ ପାଆନ୍ତି।ଦୁହେଁ ଠାକୁର ପୂଜାରେ ଅଧିକ ସମୟ ଅତିବାହିତ କରନ୍ତି ।ଠାକୁରଙ୍କୁ ଭୋଗ ଲଗାଇ ସାରିଲା ପରେ ଖାଆନ୍ତି ।ପଦ୍ୟୁମ୍ନ ବାବୁ ପ୍ରତି ମାସର ଏକ ନିର୍ଦ୍ଦିଷ୍ଟ ତାରିଖରେ ବାହାରକୁ ଯାଉଛି କହି କୁଆଡେ ଯାଆନ୍ତି କେହି ଜାଣନ୍ତିନି । ଏମିତି ଖୁସିରେ ସମୟ ଅତିବାହିତ ହେଉଥାଏ ।
         ଦିନେ ପ୍ରମିଳା ଦେବୀ ପୂଜା କରିବାକୁ ଠାକୁର ଘରକୁ ଯାଉଥାନ୍ତି ।ସେହି ସମୟରେ ବୋହୁ ଅନିମାର କିଛି କଥା , ଯାହା ସିଏ ଆଲୋକକୁ କହୁଥିଲେ ଶୁଣି ତାଙ୍କ ମୁଣ୍ଡ କ'ଣ ହୋଇଗଲା । ସେ ତଳେ ପଡିଗଲେ । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍ କୁ ନିଆଗଲା କିନ୍ତୁ ଡାକ୍ତରଙ୍କ ସମସ୍ତ ପରିଶ୍ରମ ବିଫଳ ହେଲା । ସେ ଅଫେରା ଦୁନିଆର ଯାତ୍ରୀ ହୋଇଗଲେ କିନ୍ତୁ ମୃତ୍ୟୁ ପୂର୍ବରୁ ବୋହୁ କହିଥିବା ସମସ୍ତ କଥା ପ୍ରଦ୍ୟୁମ୍ନ ବାବୁଙ୍କୁ କହି ଦେଇଥିଲେ । ଏଥର ପ୍ରଦ୍ୟୁମ୍ନ ବାବୁ ଏକା ହୋଇଗଲେ । ସର୍ବଦା ମହାପ୍ରଭୁଙ୍କୁ ଡାକନ୍ତି । ଏଥର ଆଗ ଅପେକ୍ଷା ଅଧିକ ସମୟ ଠାକୁର ଘରେ ବିତେ ।
        ପ୍ରଦ୍ୟୁମ୍ନ ବାବୁ ବି ଏଥର ଶୁଣିବାକୁ ପାଇଲେ ବୋହୁ ଅନିମା ତାଙ୍କ ପୁଅକୁ କହିବାର " ତୁମ ବାପାଙ୍କୁ ନେଇ ଅଲଗା କେଉଁଠି ରଖ, ମୁଁ ତାଙ୍କ ସେବା କରି ପାରିବିନି , ମୁଁ ଘରେ ଫ୍ରୀ ରେ ରହି ପାରୁନି, ତୁମେ ତାଙ୍କୁ ଅନାଥାଶ୍ରମରେ ଛାଡି ଦେଉନ " ।ଏଭଳି ଶୁଣି ମଧ୍ୟ ତାଙ୍କ ପୁଅ କୌଣସି ବିରୋଧ ନ କରିବା ତାଙ୍କୁ ଅଧିକ ଚକିତ କଲା । ଏହାର କିଛି ଦିନ ପରେ,ଦିନେ ଅପରାହ୍ନ ସମୟ, ପୁଅ ଆଲୋକ ଆସି ମୁଣ୍ଡ ତଳକୁ କରି ଠିଆ ହେଲା । କହିଲା ବାପା କିଛି କହିବାକୁ ଆସିଛି ।
ପ୍ରଦ୍ୟୁମ୍ନ ବାବୁ କହିବାକୁ କହିବାରୁ ଆଲୋକ କହିଲେ "ବାପା ତୁମେ ରହିବା ପାଇଁ ମୁଁ କଥା ହୋଇଛି ତୁମର କିଛି ପ୍ରୋବ୍ଲେମ ହେବ ନାହିଁ ,ମୁଁ ପ୍ରତି ମାସରେ ଯାଇ ଦେଖା କରି ଆସିବି "।
                  ଏହା ଶୁଣି ପ୍ରଦ୍ୟୁମ୍ନ ବାବୁ କିଛି ସମୟ ଚୁପ୍ ହୋଇଯାଇ କହିଲେ ବର୍ତ୍ତମାନ ଯିବା। ଆଲୋକ ମୁଣ୍ଡ ତଳକୁ କରି କହିଲେ କାଲି ସକାଳୁ କିନ୍ତୁ ପ୍ରଦ୍ୟୁମ୍ନ ବାବୁ ଟିକିଏ ସମୟ ଅପେକ୍ଷା କରିବାକୁ କହି ଠାକୁର ଘରକୁ ଯାଇ କାନିରେ କ'ଣ ବାନ୍ଧି ଫେରି ଆସିଲେ ।ଆଉ କହିଲେ ମୁଁ ଗାଡିକୁ ଯାଉଛି ତୁ ଆସେ ।ଆଲୋକ ସଂପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇ ଠିଆ ହୋଇଥାଏ,ବାପାଙ୍କ ଏତାଦୃଶ ବ୍ୟବହାର ତାଙ୍କୁ ବିସ୍ମିତ କରୁଥାଏ । ସେ ଭାବିଥିଲେ ତାଙ୍କ ବାପା କାନ୍ଦିବେ ମନ ଦୁଃଖ କରିବେ କିନ୍ତୁ ସେମିତି କିଛି ନାହିଁ କୌଣସି ବିରୋଧାଭାବ ବି ନାହିଁ । ବାପାଙ୍କ ପଛେ ପଛେ ଗାଡି ପାଖକୁ ଗଲେ ଆଲୋକ ବାବୁ, ସେତେବେଳକୁ ଗାଡିର ଝରକା ଖୋଲି ପ୍ରଦ୍ୟୁମ୍ନ ବାବୁ ଭିତରେ ବସି ସାରିଥାନ୍ତି ।ଡ୍ରାଇଭର ସିଟ୍ ରେ ବସିପଡି ଆଲୋକ ବାବୁ ଗାଡି ଷ୍ଟାର୍ଟ କଲେ । ଗାଡି ଚାଲିଥାଏ ସତେ ଅବା ଦୁଇଟି ଅଚିହ୍ନା ବ୍ୟକ୍ତି ଗାଡିରେ ବସିଛନ୍ତି କୌଣସି କଥୋପକଥନ ନାହିଁ ।ଗାଡି ଯାଇ ଲାଗିଲା ଏକ ବୃଦ୍ଧାଶ୍ରମ ପାଖରେ ।ସଂଧ୍ୟା ସମୟ ଭିତରକୁ ଯାଉ ଯାଉ ନଜର ପଡିଲା ଅପୂର୍ବ ମହାପ୍ରଭୁଙ୍କର ସୁନାବେଶର ବିରାଟ ବଡ ପ୍ରତିଛବି
ଯାହା କାନ୍ଥରେ ଝୁଲି ସମସ୍ତଙ୍କୁ ବିମୋହିତ କରୁଛନ୍ତି ।
ମହାପ୍ରଭୁଙ୍କ ଆଖିରେ ଆଖି ମିଶିଗଲା ପ୍ରଦ୍ୟୁମ୍ନ ବାବୁଙ୍କର, କେଇ ଟୋପା ଲୁହ ବୋହି ଆସିଲା । ଭିତରୁ ଛୁଟି ଆସୁଥିଲା ଭାଗବତର ମଧୁର ରସଧ୍ବନି ।
ପ୍ରଦ୍ୟୁମ୍ନ ବାବୁଙ୍କୁ ଦେଖି ଧାଇଁ ଆସିଲେ ବୃଦ୍ଧାଶ୍ରମକୁ ବୁଝାସୁଝା କରୁଥିବା କାଳନ୍ଦି ବାବୁ ।ପ୍ରଦ୍ୟୁମ୍ନ ବାବୁଙ୍କୁ ପ୍ରଣାମ କରି ଦୁଇଟି ଚେୟାର ବଢାଇ ଦେଲେ ସେମାନଙ୍କ ଉଦ୍ଦେଶ୍ୟରେ । ପ୍ରାଥମିକ କାର୍ଯ୍ୟ ଯେଉଁଠି ଯାହା ଦସ୍ତଖତ କରିବା କଥା ତାହା ସଂପୂର୍ଣ୍ଣ କରାହେଲା  ।ତାହା ପରେ ପ୍ରଦ୍ୟୁମ୍ନ କାନିରେ ବାନ୍ଧି ଆଣିଥିବା ମହାପ୍ରଭୁଙ୍କର ଛୋଟିଆ ବିଗ୍ରହଟିକୁ ବାହାର କରି କାନିରେ ପୋଛି ଦେଇ କହିଲେ "ସବୁ ସ୍ବାର୍ଥପର ତୁମେ ହିଁ ନିଜର" କହି ବଢାଇ ଦେଲେ କାଳନ୍ଦି ବାବୁଙ୍କୁ ।କହିଲେ ମୋ କାଳିଆ ପୁଅକୁ ଟିକିଏ କେଉଁଠି ଭଲରେ ରଖି ଦେବେ।କାଳନ୍ଦି ବାବୁଙ୍କ ଆଖିରେ ଲୁହ ଥିଲା ଏକ ସ୍ବତନ୍ତ୍ର ଘରକୁ ନେଇ ଦେଖେଇ ଦେଲେ ତାଙ୍କ ରହିବା ଉଦ୍ଦେଶ୍ୟରେ ।
          ଆସନ୍ତାକାଲି ଆସିବାକୁ କହି ଯେତେବେଳେ ଆଲୋକ ବାବୁ ବାହାରିଲେ ପ୍ରଦ୍ୟୁମ୍ନ ବାବୁ କହିଲେ "ପୁଅ ଦେଖିକି ଯିବୁ, ଗାଡି ଧିରେ ଚଲେଇବୁ ଆଉ ତୋର ଯତ୍ନ ନେବୁ " । ସତରେ ବାପା ବାପା ଏତେ ପରେ ବି ବାପା ସର୍ବଦା ସନ୍ତାନର ମଙ୍ଗଳ ହିଁ ଚାହେଁ ।
ଆଲୋକ ବାବୁ ଫେରି ଆସିଲେ କିନ୍ତୁ ରାତି ସାରା ତାଙ୍କୁ ନିଦ ନାହିଁ ବାପାଙ୍କ ବ୍ୟବହାର ତାଙ୍କୁ ବ୍ୟଥିତ କରିଥିଲା, ତାପରେ କାଳନ୍ଦି ବାବୁ ବି ତାଙ୍କ ବାପାଙ୍କ ସହିତ ଯେମିତି ମିଶୁଥିଲେ ସତେ ଅବା ସେ ତାଙ୍କୁ ଆଗରୁ ଜାଣିଛନ୍ତି ।
           ପରଦିନ ସକାଳୁ ବାପାଙ୍କର କିଛି ପୋଷାକ ପରିଛଦ ଏବଂ ପୂର୍ବରୁ କଥା ହୋଇଥିବା କିଛି ଟଙ୍କା ଯାହା ବୃଦ୍ଧାଶ୍ରମକୁ ଦିଆ ହେବା କଥା ତାହା ସାଙ୍ଗରେ ନେଇ ବାହାରି ପଡିଲେ ଆଲୋକ ବାବୁ ।ଯାଇ ପହଁଚିଲେ ବୃଦ୍ଧାଶ୍ରମରେ । ପୂର୍ବରୁ କାଳନ୍ଦି ବାବୁ ସେଠି ଉପସ୍ଥିତ ଥିଲେ ,ପାଖରେ ଏକ ଚେୟାର ପକାଇ ଆଲୋକ ବାବୁଙ୍କୁ ବସିବାକୁ କହିଲେ ।ଆଲୋକ ବାବୁ ବସିଲେ ଏବଂ ଆଣିଥିବା ଟଙ୍କାକୁ ବଢାଇ ଦେଲେ କିନ୍ତୁ କାଳନ୍ଦି ବାବୁ ରଖିବାକୁ ମନାକଲେ । ଏହା ଦେଖି ଟିକିଏ ରାଗିଗଲେ ଆଲୋକ ବାବୁ ,କହିଲେ ଏତେ ସିମ୍ପାଥି ଦେଖେଇବା ଦରକାର ନାହିଁ ,ମୁଁ ଦେଖୁଛି ଆପଣ ପ୍ରାପ୍ୟଠୁ ଅଧିକ ସମ୍ମାନ ଆମକୁ ଦେଉଛନ୍ତି।କ'ଣ ପାଇଁ ?
          ଆଲୋକର କଥାଶୁଣି କାଳନ୍ଦି ବାବୁ କହିଲେ ଯଦି ଶୁଣିବାକୁ ଚାହୁଁଛୁ ଶୁଣୁ । ଏହା ବୃଦ୍ଧାଶ୍ରମ ଆଗରୁ ଏକ ଅନାଥାଶ୍ରମ ଥିଲା । ଆଉ ସେତେବେଳେ ବି ତାହାର ସମସ୍ତ ଦାୟିତ୍ବ ମୋ ଉପରେ ନ୍ୟସ୍ତ ଥିଲା ।
ତୁ ସେଇ ଅନାଥାଶ୍ରମର ଗୋଟିଏ ପିଲା ଥିଲୁ । ପ୍ରଦ୍ୟୁମ୍ନ ବାବୁଙ୍କର କୌଣସି ସନ୍ତାନ ନଥିଲେ ସେଇ ଅନାଥାଶ୍ରମ କୁ ବୁଲି ଆସିଥିବା ସମୟରେ ତୁ ତାଙ୍କ ହାତ ଧରି ପକାଇ ଥିଲୁ ।ତେଣୁ ତୋତେ ସିଏ ଗ୍ରହଣ କରିନେଲେ
ତୋର ହାତ ସିଏ କେବେ ଛାଡି ନାହାନ୍ତି କିନ୍ତୁ ତୋ ଭଳି ଅନାଥକୁ ସନ୍ତାନର ପରିଚୟ ଦେଇ ମଣିଷ କଲେ ଆଜି ତାଙ୍କ ଏଇ ଅବସ୍ଥାରେ ତୁ ହାତ ଛାଡି ଦେଲୁ ।
ତୁ ଜାଣିଛି ସମସ୍ତେ ବର୍ଷରେ ଥରେ ଜନ୍ମ ବାର୍ଷିକ ପାଳନ କରନ୍ତି କିନ୍ତୁ ତୋ ବାପା ପ୍ରତି ମାସରେ ତୋର ଜନ୍ମ ବାର୍ଷିକ ପାଳନ କରନ୍ତି ।ତୋତେ ଯେଉଁ ତାରିଖରେ ଏଠାରୁ ନେଇଥିଲେ ପ୍ରତି ମାସ ସେହି ତାରିଖରେ ଏଠାକୁ ଆସନ୍ତି ।ଆଉ ସେହି ଗୋଟେ ଦିନର ଖର୍ଚ୍ଚ ସିଏ ବହନ କରନ୍ତି । ଭାବନ୍ତି ଏମିତି କଲେ ତୋର ମଙ୍ଗଳ ହେବ ।ଯେଉଁ ପଛପଟେ ମହାପ୍ରଭୁଙ୍କ ଫଟୋ ଦେଖୁଛୁ ତାହା ବି ତୋ ବାପା ଦେଇଛନ୍ତି ।
              ସ୍ଥାଣୁ ହୋଇ ଛିଡା ହୋଇଥିଲା ଆଲୋକ ।ଆଖିରୁ ବହି ଚାଲିଥିଲା ଲୋତକର ଧାର ।କ'ଣ କଲା ସିଏ ।ଅନାଥ ହୋଇ ଯେଉଁ ବାପା ମାଆ ତାକୁ ଜଣେଇ ଦେଇ ନଥିଲେ ସେ ଅନାଥ ବୋଲି ଆଜି ନିଜ ସ୍ବାର୍ଥ ପାଇଁ ତାଙ୍କୁ ହତାଦାର କରିଦେଲି ।ଯେଉଁ ଘରେ ମୋର ଅଧିକାର ନାହିଁ କିନ୍ତୁ ତାଙ୍କ ଘରୁ ତାଙ୍କୁ ତଡି ଦେଲି । ଆଲୋକ କହିଲା ମୋତେ ଟିକେ ବାପାଙ୍କ ପାଖକୁ ନେଇଚାଲ । 
          ଆଲୋକ ଧାଇଁଗଲା ବାପାଙ୍କ ପାଖକୁ, ଧରି ପକାଇଲା ଗୋଡକୁ କହିଲା କ୍ଷମା କରନ୍ତୁ ମୋତେ ।ଆପଣଙ୍କ ଘରକୁ ଆପଣ ଚାଲନ୍ତୁ ସେ ଘରେ ମୋର ଅଧିକାର ନାହିଁ ।କୌଣସି କଥା ଆଉ ବାହାରୁ ନଥିଲା ଆଲୋକର ପାଟିରୁ ଖାଲି ହିକା ମାରି କାନ୍ଦୁଥିଲା ।
          ପ୍ରଦ୍ୟୁମ୍ନ ବାବୁ ଆଲୋକକୁ କୋଳେଇ ନେଲେ କହିଲେ କାନ୍ଦେନା ଆଲୋକ ।ମୁଁ ଆଉ ଘରକୁ ଫେରିବାକୁ ଚାହୁଁନି ।ତୋ ମାଆ ତ ଛାଡି ଚାଲିଗଲା ମୋତେ ସେଠି ଏକୁଟିଆ ଭଲ ଲାଗିବନି ।ଏଠି ବରଂ ସମସ୍ତଙ୍କ ସହିତ ସମୟ କଟିଯିବ ।
         ନିରାଶ ମନରେ ଆଲୋକ ଫେରିଲା ।ଆଉ ନୀଳ ଆକାଶକୁ ଅନେଇ ଭାବୁଥାଏ....ସତରେ କଣ ମୋ ଭୁଲ୍ ର କ୍ଷମା ଅଛି ।


 

Source : Internet

DM for credit

No comments:

Post a Comment

Facebook COmment

Related Posts Plugin for WordPress, Blogger...