Tuesday, December 5, 2023

ମଦ୍ୟପ

ମଦ୍ୟପ

Drunken Man

ମଦର ନିଶା ଭାରି ମାରାତ୍ମକ,ଥରେ ଧରିଲେ ଛାଡିବା ଭାରି କଷ୍ଟକର। ସେଥିପାଇଁ ବୋଧି ସିପୁନକୁ ଆଜି ମାଡ ପଡିଛି। ମିଶ୍ରବାବୁ କହି କହି ଥକିଗଲେ ସେ ବିଷ ଗୁଡାକ ପିନା । ଏ ବୟସରେ ଯଦି ଏମିତି ପିଇକି ବୁଲିବୁ ତାହେଲେ ଜୀବନ ସାର ପଶ୍ଚାତାପ କରିବାକୁ ପଡିବ। ହେଲେ ସେ ଶୁଣିଲେ ତ, ଦିନ ତମାମ ଯାହା ଗାଳି ଶୁଣେ ସନ୍ଧ୍ୟା ହେଲା ବେଳକୁ ତାକୁ ପାସୋରି ଦିଏ । ଆଉ ବାହାରି ପଡେ ଗ୍ରୁପ୍ ଷ୍ଟଡି ନାଁରେ ତା'ର ଦୁଶ୍ଚରିତ୍ର ବନ୍ଧୁ ଆଲୋକ ଘରକୁ ।

   ଆଲୋକ  କୋଟିପତି ପ୍ରଶାନ୍ତ ବାବୁଙ୍କ ପୁଅ ।
ମାତୃହୀନ ତେଣୁ ଅଧିକ ଗୋହ୍ଲା ଓ ତଦ୍ଅନୁରୂପ ଉଶୃଙ୍ଖଳ । ମାତ୍ର ସିପୁନ୍ ଜଣେ କର୍ତ୍ତବ୍ୟନିଷ୍ଠ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିରଞ୍ଜନ ମିଶ୍ରଙ୍କର ପୁଅ ହୋଇବି ଆଜି ମଦ୍ୟପ, ଅସାମାଜିକ । ଯାହା କରୁଥିଲା ମିଶ୍ର ବାବୁ ସବୁ ସହି ଯାଉଥିଲେ। ଅଣ୍ଟି ଛୁରୀ ଯେବେ ତଣ୍ଟି କାଟିବ ତ କହିବେ କାହାକୁ । ହେଲେ କାଲି ରାତିର ଘଟଣା ତାଙ୍କ ଧାର୍ଯ୍ୟର ବନ୍ଧ ଭାଙ୍ଗିଦେଲା। ସିପୁନ୍ ନିଶାରେ ଆସି ପଡୋଶୀ ସୁଶାନ୍ତ ବାବୁଙ୍କ ଝିଅକୁ ଗୋଳିଗୁଲଜ କରିବା ଓ ଅଶ୍ଲୀଳ ମନ୍ତବ୍ୟ ଦେବା ତାଙ୍କ କଳ୍ପନା ଓ ସହନ ଶକ୍ତିର ବାହାରେ ଥିଲା। ତେଣୁ ସେ ନିଜ ଏକୋଇଶି ବର୍ଷର ପୁଅକୁ ପିଟିପିଟି ରାତିଯାକ ବାହାରେ ଛିଡା କରିଦେଲେ। ସକାଳୁ ସିପୁନର ନିଶା ଉତୁରିଲା ପରେ ରାଗିକି ଘରକୁ ନଯାଇ ଆଲୋକ ଘରକୁ ଚାଲିଗଲା। ଦିନ ଯାକ ସେଠି ରହିବାପରେ ସନ୍ଧ୍ୟାରେ ରୁସ୍ତମ ବାର୍ ରେ ଦୁହେଁ ଖୁବ ପିଇଲେ । ଫେରିବା  ବେଳେ ସିପୁନ ଗାଡ଼ିଚଳାବାକୁ କହିବାରୁ ଆଲୋକ ତାକୁ ଚାବିଦେଇ ପଛ ସିଟ୍ ରେ ଶୋଇଗଲା । କିଛି ସମୟ ଗାଡି ଚଳାଇଲା ପରେ ସିପୁନର ଅଖି ଲାଗି ଆସୁଥାଏ । ଏତିକି ବେଳେ ଗାଡି ଗୋଟିଏ ମୋଡାଣିରେ ବୁଲିବା ବେଳେ କିଛି ଗୋଟାଏ ଗାଡିରେ ପିଟି ହେବାପରି ତାକୁ ଲାଗିଲା। ହେଲେ ନିଶାରେ ଥିବାରୁ ଠିକ୍ ଭାବରେ ଲକ୍ଷ କରିପାରିଲା ନାହିଁ । ଅତ୍ୟଧିକ ପିଇଥିବାରୁ ସେଦିନ ସିପୁନ୍ ଆଉ ଘରକୁ ନଯାଇ ଆଲୋକ ଘରେ ରହିଗଲା।
ପରଦିନ ନିଦ ଭାଙ୍ଗିଲା ବେଳକୁ ୧୦ଟା ବାଜିଛି । ଫୋନ୍ ଦେଖିଲା ବେଳକୁ ଏକ ଅଜ୍ଞାତ ନମ୍ବରରୁ ୬ଟା ମିସ୍ କଲ୍ । ସିପୁନ୍ ସେ ନମ୍ବରକୁ ଲଗେଇଲା ତ ପାଖ ପୋଲିସ୍ ଷ୍ଟେସନ୍ କୁ ଲାଗିଲା। ସେପଟରୁ କେହି ଜଣେ କହିଲେ କାଲି ରାତିରେ ରୁସ୍ତମ୍ ବାର ପାଖ ଛକରେ ଗୋଟେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ତାଙ୍କ ପର୍ସରୁ ଆପଣଙ୍କ ଫୋନ୍ ନମ୍ବର ମିଳିଛି । ଆପଣ ଆସି ସିଟି ହସ୍ପିଟାଲ୍ ରେ ଶବଟିକୁ ଚିହ୍ନଟ କରନ୍ତୁ । ସିପୁନ୍ ମୁଣ୍ଡରେ ଯେମିତି ବଜ୍ର ପଡିଲା । ସେ ତୁରନ୍ତ ଯାଇ ଡାକ୍ତରଖାନାରେ ପହଞ୍ଚିଲା । ସେଠିଥିବା ପେଲିସ୍ ଅଧିକାରୀ ଯେବେ ତାକୁ ଶବଟିକୁ ଦେଖାଇଲେ ତା ପାଟିରୁ ଗୋଟେ ଚିତ୍କାର ସହ ବାହାରି ପଡିଲା ବାପା...... 
    ପୋଲିସ୍ ଅଧିକାରୀ ତାକୁ ଶବ ନିକଟରୁ ମିଳିଥିବା ଏକ ବ୍ୟାଗ୍ ଦେଲେ ଯେଉଁଥିରେ ଥିଲା ତା'ପାଇ ଗୋଟେ ସାଟ୍ ଆଉ ନିଶାନିବାରଣ କେନ୍ଦ୍ରର ଗୋଟିଏ ଫର୍ମ....।

Source : Social Media, DM for Credit

No comments:

Post a Comment

Facebook COmment

Related Posts Plugin for WordPress, Blogger...