ସେ ମୁଣ୍ଡ ଉଠାଇଲା। ମୋ କାନ୍ଧରେ ତା’ର ଦିଟା ଯାକ ହାତ ରଖିଲା। ମୋ ଆଖିରେ ଆଖି ମିଶେଇଲା। ଆଉ କହିଲା ‘ମୁଁ ତୁମକୁ ଭଲ ପାଏ’। ଏ କଥା ସାରା ଦୁନିଆକୁ ଚିତ୍କାର କରି କହିପାରିବି। ଆଶୀ ଲଭ୍ସ ୟୁ। ମୁଁ ବି କହିଦେବାକୁ ଚାହୁଁଥିଲି ମୁଁ ବି ଆଶୀ... ମୁଁ ବି....। ହଠାତ୍ ସ୍କ୍ରିନ୍ ପଛରୁ ଆୱାଜ ଆସିଲା ପରଫେକ୍ଟ!!! ଦର୍ଶକଙ୍କ ତାଳିରେ ପ୍ରେକ୍ଷାଳୟରେ ଖେଳିଗଲା ମୃଦୁ ଗୁଞ୍ଜରଣ। ମୁଁ ନିଜକୁ ଆବିଷ୍କାର କଲି ମଞ୍ଚ ଉପରେ। ଆଶୀ ମୋ କାନ୍ଧରୁ ହାତ ବାହାର କଲା। ଦର୍ଶକଙ୍କ ଆଡ଼କୁ ଚାହିଁ ମୁଣ୍ଡ ନୁହଁାଇ ଜଣାଇଲା କୃତଜ୍ଞତା। ତା’ପରେ ମଞ୍ଚରୁ ଓହ୍ଲାଇ ଚାଲିଗଲା ଗ୍ରୀନ୍ ରୁମ୍ ଆଡକୁ। ମୁଁ କିନ୍ତୁ ସେମିତି ଅଟକି ଗଲି ସେଇଠି। ସମୟ ସହିତ। ଜମାରୁ ବିଶ୍ୱାସ ହେଉ ନ ଥିଲା ଏଇଟା ଥିଲା ନାଟକର ରିହାରର୍ସଲ।
ଆଶୀ ସହିତ ସମ୍ପର୍କ କଲେଜ ଦିନରୁ। ହେଲେ ଥିଏଟର ଗ୍ରୁପ୍ରେ ମିଶିବା ପରଠୁ ମୁଁ ତା’ ଭିତରେ ଅନୁଭବ କରିଛି ଏକ ନିଆରା ଆକର୍ଷଣ। ସେହି ଆକର୍ଷଣରେ ମୁଁ ତା’ ପାଖକୁ ଟାଣି ହୋଇଯାଉଛି, ଯେମିତି ନିଅଁା ପାଖକୁ ପତଙ୍ଗ। ଏମିତି ଲାଗୁଛି ତା’ ମୋ ଭିତରେ କମିଯାଇଛି ଦୂରତା । ସେ ଘୋଳି ହୋଇଯାଉଛି ମୋ ଭିତରେ, ଏମିତି କିଛି ଅନୁଭବ ଉକୁଟୁଛି ଭିତରେ, କାହିଁକି କେଜାଣି ?
ଆଶୀ କ୍ରଏଟିଭ୍ିଟିର ଗୋଦାମ। ସେ ଅକ୍ଷର ସହ ଖେଳେ। ସ୍କ୍ରିପ୍ଟ ଲେଖେ। ଗୀତ ଗାଏ। ଗୀଟାର ବଜାଏ। କବିତା ଲେଖେ। ମୁଁ ପୁସ୍ତକ କୀଟ। ମୋଟା ମୋଟା ବହି ଭିତରେ ଧସି ହୋଇ ରହିଯିବା ଛଡ଼ା କିଛି ଜାଣେନା। ସମୟ ବହି ଭିତରୁ ବାହାରିବାକୁ ସୁଯୋଗ ଦେଲାନି। ଆଉ ଦୁନିଆରେ ପ୍ରେମ ବୋଲି ଗୋଟେ କିଛି ଅଛି, ସେ କଥା ବି କେମିତି କେଜାଣି ରହିଗଲା ବୟସର ଭାଙ୍ଗରେ। ହେଲେ ଏବେ ଆଶୀ ଆସିବା ଦିନକୁ ସବୁକିଛି ଯେମିତି ଫର୍ଚ୍ଚା ହୋଇଚାଲିଥିଲା ଧୀରେ ଧୀରେ।
ଆଜି ରିହଲର୍ସଲର ଶେଷଦିନ। ସନ୍ଧ୍ୟାରେ ପ୍ଲେ। ତା’ ପରେ ଆଶୀ ଚାଲିଯିବ ପୁନେ ମୁଁ ଭୁବନେଶ୍ୱର। ପୁଣି କେବେ ଦେଖାହେବ କି ନାହିଁ !!! ଓଜନଦାର ହୋଇଗଲା ମନ। ଏମିତି ଲାଗିଲା ବରଫରେ ଜମିଯାଇଛି ପାଦ। କିଛି ଗୋଟେ ସମାଧି ନେଉଛି ଛାତି ଭିତରେ। ଏସବୁ ଭାବିବା ବେଳକୁ ମୁଁ ନିଜକୁ ଆବିଷ୍କାର କଲି ମଞ୍ଚରେ। ଏବେ ମୋ ପାଳି। ମୋ ଡାଇଲଗ। ଡାଇଲଗରେ ସେହି କଥା କହିବାକୁ ପଡ଼ିବ। ସେହି କଥା, ଯାହା ଅନେକ ଥର ଓଠ ପାଖକୁ ଆସି ଅଜଣା ଭୟରେ ଫେରିଯାଇଛି। ସ୍କ୍ରିନ୍ ସେପଟୁ ସିଗ୍ନାଲ ଦେଲେ ଡାଇରେକ୍ଟର। ରେଡି ଥ୍ରୀ...ଟୁ...ୱାନ..ଗୋ...
‘ହଁ ମୁଁ ତୁମକୁ ଭଲପାଏ। ଆଉ ତମେ? ସେ ମୁଣ୍ଡ ଟୁଙ୍ଗାରି ଜଣାଇଲା ସମ୍ମତି। ସେ ହଜିଯାଇଥିଲା ମୋ ଆଖିରେ। ଥରଥର ହେଉଥିଲା ତା’ ଓଠ। ତା’ ଅଙ୍ଗୁଠି ସ୍ପର୍ଶରେ ମୁଁ ଥରୁଥିଲି ଗୋଟାପଣେ। ଲାଗୁଥିଲା ମୋ କପାଳଠୁ ଆରମ୍ଭ କରି ଶିରାପ୍ରଶିରାରେ ସେ ଧାଉଁଛି। ଏଥର ବି ଦର୍ଶକଙ୍କ କରତାଳି ମତେ ଟାଣି ଆଣିଲା ଭାବନା ଭିତରୁ । ମନ ଏବେ ବି ମାନିବାକୁ ନାରାଜ ଏହା ନାଟକ। ମୁଁ ଅଭିନୟ କରୁଛି। ଲାଗୁଥିଲା ଜୀବନର ଗୋଟେ ପରିଚ୍ଛଦ ମୁଁ ନିଜ ହାତରେ ଲେଖିସାରିଛି ମଞ୍ଚ ଉପରେ, ଜଷ୍ଟ ଟିକେ ଆଗରୁ।
ଧୀରେ ଧୀରେ ଖାଲି ହେଉଥିଲା ପ୍ରେକ୍ଷାଳୟ। ମୁଁ ଓଜନଦାର ମନ ନେଇ ଦରାଣ୍ଡୁଥିଲି ସେସବୁ ଡାଇଲଗ, ଯାହା କିଛି ସମୟ ଆଗରୁ ମିଶିଯାଇଥିଲା ପବନରେ। ଆଶୀ ଆସିଲା। ମତେ ଲାଗି ବସିଗଲା। ମୁଁ ଥଙ୍ଗ ଥଙ୍ଗ ହୋଇ ପଚାରିଦେଲି ନାଟକ ବଢ଼ିଆ ଥିଲା ନା? ହୁଁ...ସେ ଉତ୍ତର ଦେଲା। ଜୀବନ୍ତ ଥିଲା ତୁମ ଡାଇଲଗ୍। ମୁଁ ଅନୁଭବ କରିପାରୁଥିଲି ପ୍ରତିଟି ଶବ୍ଦ। ହବନି କେମିତି ଯେ... ଦି ସେକେଣ୍ଡ ରହି ସେ ପୁଣି କହିଲା। ତୁମେ ତ ଆଉ ଅନ୍ୟ ଆର୍ଟିଷ୍ଟଙ୍କ ପରି ମଞ୍ଚରେ ଅଭିନୟ କରୁ ନ ଥିଲ। କହିଚାଲିଥିଲ ମନ ତଳର ଅକୁହା କଥା। ମୁଁ ଆବାକାବା ହୋଇ ଚାହିଁ ରହିଥିଲି ଆଶୀକୁ। ତା’ମାନେ ସେ କ’ଣ ବୁଝିପାରିଛି ସେସବୁ ପ୍ରେମର ନୀରବ ଭାଷା, ଯାହା ଆଜି ଯାଏ ମୁଁ କହିବି କହିବି ଭାବି କହିପାରିନି !!!
...ବୁଦ୍ଦୁ। ତୁମେ ଦେଇ କିଛି ହବନି, କ’ଣ ଏକଥା ମୁଁ ଜାଣିନି!!! ସେଇଥି ପାଇଁ ତ ଏତକ ତୁମ ମୁହଁରୁ ଶୁଣିବି ବୋଲି ପୂରା ସ୍କ୍ରିପ୍ଟ ଲେଖି ଦେଇଗଲି। ଅଥଚ ତୁମେ ଯୋଉ ବୁଦ୍ଦୁକୁ ସେହି ବୁଦ୍ଦୁ। ଘୁଷୁରୀ, ଛେଳି, ମେଣ୍ଢା, ହାତୀ....ସେ ଜୋରରେ ହସିଲା। କେଇ ମୁହୂର୍ତ୍ତ ପରେ କହିଲା, ମୁଁ ବି ତୁମକୁ ହରାଇବାକୁ ଚାହେଁନି ଅକ୍ଷର। ଯାହା ଷ୍ଟେଜରେ କହିଲ ଏବେ ବେକ୍ ଷ୍ଟେଜରେ ଥରେ କୁହନା? ସରିଯାଇଥିଲା ଅୟୁତ ଯୁଗର ଅପେକ୍ଷା। ‘ମୁଁ ବି ତୁମକୁ ବହୁତ ଭଲ ପାଏ। ନିଜଠୁ ବି ବେଶି। ଲଭ୍ ୟୁ ଆଶୀ’। ଏହି ଧାଡ଼ିକ କହିବା ବେଳକୁ ଢିଲା ପଡି ଆସୁଥିଲା ଦୁଇ ବାହୁ। ସେ ଜାବୁଡ଼ି ଧରିଲା। ପ୍ରେକ୍ଷାଳୟର ନୀରବତା ଭିତରେ ଆମେ ଦୁହେଁ ଅନୁଭବ କରିପାରୁଥିଲୁ ପ୍ରେମର କୋଳାହଳ। ଲାଗୁଥିଲା ଗୋଟେ ଅଜଣା ଶକ୍ତି ଯେମିତି ଆକାଶରୁ ଅଜାଡ଼ି ଦେଉଛି ଅଗଣିତ ଆଶୀର୍ବାଦ।
Please read other interesting shorty stories below :
ସବୁ ସ୍ବାର୍ଥପର ତୁ ଏକା ନିଜର : https://dharakote.blogspot.com/2023/12/blog-post_10.html
No comments:
Post a Comment