Friday, December 1, 2023

ମା ତାରାତାରିଣୀ ମନ୍ଦିର ବିଷୟରେ ପଦେ

 ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟରେ ଏକ ପର୍ବତ l ତା ନାଁ ତାରା ତାରିଣୀ ପର୍ବତ l ମା ତାରା ତାରିଣୀଙ୍କ ନାମରେ ଏହି ପର୍ବତ ନାମିତ l ସେମାନେ ପ୍ରତ୍ୟକ୍ଷ ଦେବୀ ଦୁଇ ଭଉଣୀ l ସେ ଅଂଚଳର ସେଇ ଦୁଇ ଭଉଣୀ ଆଶା ଓ ଭରଷାର ପ୍ରତୀକ l ମାଙ୍କ ବିଷୟରେ କିଛି କିମ୍ବଦନ୍ତୀ ରହିଛି l କିନ୍ତୁ ଏହା ସତ୍ୟ , ମା ସମସ୍ତିଙ୍କ ମନବାଞ୍ଛା ପୂରଣ କରନ୍ତି l


🙏
ରାଇପୁର ଗାଁରେ ଅବସ୍ଥିତ l ପାଖରେ ଏକ ଛକ, ଯାହା ତାରା ତାରିଣୀ ଛକ ଭାବେ ସମସ୍ତେ ଜାଣନ୍ତି l ମନ୍ଦିର ଠାରୁ ପୁରୁଷୋତ୍ତମପୁର ସହର ପ୍ରାୟ ପାଞ୍ଚ କିଲୋମିଟର ଦୂରରେ l ତାରା ତାରିଣୀ ଦୁଇ ଦେବୀଙ୍କ ନିବାସ ପର୍ବତ ଉପରେ l ବହୁ ଦିନରୁ ଜଣେ ଭକ୍ତ ତାରା ତାରିଣୀ ପର୍ବତ ଉପରକୁ 999 ପାହାଚ ପକାଇ ଏକ ମହାନ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିଛନ୍ତି l ସେ ଏକ ପ୍ରାତଃସ୍ମରଣୀୟ ଭକ୍ତ ଯାହାଙ୍କୁ ବାୟା ଇନ୍ସପେକ୍ଟର ବୋଲି ସମସ୍ତେ ଜାଣନ୍ତି l ତାଙ୍କର ଏହି ଅକ୍ଷୟ କୀର୍ତ୍ତି ପାଇଁ ସେ ଚିର ନମସ୍ୟ l
ଏତେ ବଡ ପର୍ବତ l 999 ପାହାଚ l ପାହାଚ ଗୁଡିକ ସୁଉଚ୍ଚ l ଉପରକୁ ଚଢିଲା ବେଳେ ଆମେ ପିଲାଦିନେ ହାଲିଆ ହୋଇ ପଡ଼ୁଥିଲୁ l ପର୍ବତର ଅନ୍ୟ ପାର୍ଶ୍ୱ ରେ ଥିଲା ବହୁ ଦିନର ଏକ ପିଚୁ ରାସ୍ତା l ଚାରି ଚକିଆ ଓ ଦୁଇ ଚକିଆ ବାହାନ ପାଇଁ ଏହା ଠିକ ଥିଲା l କିନ୍ତୁ ସତ କହିବାକୁ ଗଲେ ରାସ୍ତା ଭାରି ଉଠାଣିଆ ଥିଲା l ଗାଡି ଓ ମଟରରେ ଉପରକୁ ଯିବା କଷ୍ଟ ହେଉଥିଲା l ପର୍ବତ ଉପରେ ମାଙ୍କ ମନ୍ଦିର ବହୁତ ଛୋଟ ଥିଲା l କିନ୍ତୁ ଭକ୍ତଙ୍କ ସଂଖ୍ୟା କିଛି କମ ନଥିଲେ l ପର୍ବତ ଉପରୁ ଅଂଚଳର ପ୍ରାକୃତିକ ସୁଷମା ଅତ୍ୟନ୍ତ ଉପଭୋଗ୍ୟ l ଆମେ ପାହାଚରେ ଚଢି ଚଢି ଯାଉ l ଫେରିଲା ବେଳେ ଫେରୁ ପିଚୁ ରାସ୍ତାରେ l ଅନେକ ସ୍ମୃତି ଓ ଅନେକ ଅନୁଭୂତି ତାରାତାରିଣୀ ମନ୍ଦିର ଓ ପର୍ବତ ସହିତ ମୋର l
ପର୍ବତର ପାଦ ଦେଶରେ ଯାତ୍ରୀଙ୍କ ରହିବା ଓ ରୋଷେଇ କରିବା ବ୍ୟବସ୍ଥା ହୋଇଥିଲା l ଅନେକ ବାହାଘର ଓ ବ୍ରତୋପନୟନ ସାକ୍ଷୀ ଏ ତାରାତାରିଣୀ ପୀଠ l ଅନେକ ବର୍ଷ ତଳେ ମୋରବି ବ୍ରତୋପନୟନ ଏହି ମନ୍ଦିରର ପାଦଦେଶରେ ହୋଇଥିଲା l
ଚୈତ୍ର ମାସର ଚାରି ପାଳି ମଙ୍ଗଳବାର, ତାରାତାରିଣୀ ପୀଠରେ ଭାରି ଗହଳି ହୁଏ l ଆମେ ଏହାକୁ କହୁ ପର୍ବତ ପାଳି ବୋଲି l ତୃତୀୟ ପାଳିକୁ ମଝି ପାଳି ବୋଲି କୁହାଯାଏ l ସେ ପାଳି ଭାରି ଭିଡ଼ l ସାରା ଓଡିଶାରୁ ଲୋକ ଆସନ୍ତି l ଆମେ ବଳଦ ଶାଗଡ଼ରେ ଯାଉଥିଲୁ ମାଙ୍କ ଦର୍ଶନ ପାଇଁ l ପର୍ବତ ପାଦ ଦେଶରେ ବିଶାଳ ଆମ୍ବ ତୋଟା l ସେଠାରେ ସମସ୍ତେ ଭୋଜି କରନ୍ତି ଓ ଅନେକ ମଜା ନିଅନ୍ତି l ଚୈତ୍ର ମାସର ଚାରି ମଙ୍ଗଳବାର ଓ ମକର ସଂକ୍ରାନ୍ତି ସମୟର ଜନଗହଳି ରଥଯାତ୍ରାର ଭ୍ରମ ସୃଷ୍ଟି କରେ l
ଆଜି ସବୁ ବଦଳି ଯାଇଛି l ମନ୍ଦିରର ରୂପ ରେଖ ଏଵଂ ଆନୁସଙ୍ଗିକ ବ୍ୟବସ୍ଥା l ସୁନ୍ଦର ଭବ୍ୟ ମନ୍ଦିର ଓ ପାରିପାର୍ଶ୍ଵିକ ସୌନ୍ଦର୍ଜିକରଣ ହୋଇଛି l ରହିବା ଏ, ଖାଇବା ଏଵଂ ବିଶ୍ରାମ ନେବା ପାଇଁ ଅପୂର୍ଵ ବ୍ୟବସ୍ଥା ହୋଇଛି l ଆଲୋକର ସାଜସଜ୍ଜା ଭିତରେ ମାଙ୍କ ମନ୍ଦିର ଶୋଭା ବହୁ ଗୁଣିତ ହୋଇଛି l କେବଲ ଦ୍ୱାରା ଆଜି କାଲି ଭକ୍ତ ମାଙ୍କ ମନ୍ଦିର ଉପରକୁ ଯାଉଛନ୍ତି l
ତାରାତାରିଣୀ ମନ୍ଦିର ସୌନ୍ଦର୍ଜୀକରଣ ପରେ ଆଜି ମାଙ୍କ ମନ୍ଦିରର ପ୍ରଥମ ପ୍ରତିଷ୍ଠା ଦିବସ l ଭକ୍ତଙ୍କ ଗହଣରେ ଉଛୁଳି ଉଠୁଛି ପୀଠ l ମୋ ସ୍ମୃତିର... ମୋ ଭକ୍ତିର ପ୍ରତୀକ ମା ତାରାତାରିଣୀ ମନ୍ଦିର ଓ ପର୍ବତ l ଦୁଇ ଭଉଣୀଙ୍କୁ... ମୋ ଅନେକ ଶୈଶବ ଓ କିଶୋରର ସ୍ମୃତିରେ ସହସ୍ର ପ୍ରଣାମ ଜଣାଉଛି l


ପ୍ରମୋଦ ଚନ୍ଦ୍ର ପାତ୍ର
ଲେଖକ ଓ ସମ୍ପାଦକ

No comments:

Post a Comment

Facebook COmment

Related Posts Plugin for WordPress, Blogger...