ଭାଷା ଆନ୍ଦୋଳନର ଅଗ୍ନିଶିଖା : ‘କେଶରୀ’
(କୌଣସି ଭାଷା, ଜାତି କିମ୍ବା ସମ୍ପ୍ରଦାୟକୁ ନୀଚ୍ଚ କରି ଦେଖାଇବା ଏହି ଲେଖାର ଉଦ୍ଦେଶ୍ୟ ନୁହେଁ। ଖାଲି ମୋ ମାଟିର ଗୌରବମୟ ଇତିହାସକୁ ସର୍ବସମ୍ମୁଖରେ ଥୋଇବାର ଏହା ହେଉଛି ସମ୍ୟକ ପ୍ରୟାସ।)
#ଭାଷା ଆନ୍ଦୋଳନର ଅଗ୍ନିଶିଖା ‘କେଶରୀ’
କୋଇଲି: ତେଲେଙ୍ଗାଏ ଅଟନ୍ତି ଢୁଙ୍କଣ
ତେଲି ଦ୍ୱାରେ ଡେରୁ ଡେରୁ କଲେ ରାଜପଣ ଲୋ କୋଇଲି
କୋଇଲି: ଦେଶବୋଲି କେତେକ ବଙ୍ଗାଳୀ
ଦେଶଶିରୀ ହରାଇଣ ମାରୁଛନ୍ତି ତାଳି ଲୋ କୋଇଲି...
ଆର୍ଆର୍ଆର୍, କେଜିଏଫ୍ କି ପୁଷ୍ପା ଫିଲ୍ମର ଡାଇଲଗ୍ ହୋଇଥିଲେ ଆଜିକାର ଯୁବପିଢ଼ି ଏହାକୁ କଣ୍ଠସ୍ଥ କରି ଦାଣ୍ଡଦୁଆର ଉଠାନ୍ତେ ପକାନ୍ତେ। ହେଲେ ଓଡ଼ିଆ ଅସ୍ମିତାର କଥା ଯେତେବେଳେ ଉଠେ, ସେତେବେଳେ ଆମେ ଫେସ୍ବୁକ୍, ଓ୍ବାଟ୍ସଅପ୍ର ଅର୍ଗଳି ଡେଇଁପାରୁନା। ହ୍ୟାପି ପଣା ସଂକ୍ରାନ୍ତି, ହ୍ୟାପି ଓଡ଼ିଶା ଦିବସ ଭଳି ୨-୪ଟା କ୍ୟୁଟୋରେ ଆମ ଭାବନା ଧକେଇ ଧକେଇ ଅଣନିଃଶ୍ୱାସୀ ହେବାପରେ ଲୋଟିପଡ଼େ ଭୂଇଁରେ। ହେଲେ ୧୯୦୩ରେ ଯେତେବେଳେ ଓଡ଼ିଆ ଭାଷାର ଅନ୍ତରାତ୍ମାକୁ ତେଲୁଗୁ ଏବଂ ବଙ୍ଗଳୀ ଭାଷାଭାଷୀମାନେ ଖିନ୍ଭିନ୍ କରିଦେବାକୁ ଅପଚେଷ୍ଟା ଚଳାଇଥିଲେ, ଠିକ୍ ସେତିକି ବେଳେ ଧରାକୋଟ ମାଟିରୁ ‘କୋଇଲି’ ମାଧ୍ୟମରେ ଓଡ଼ିଆ ଭାଷା ବିରୋଧୀଙ୍କ ପାଇଁ ଗର୍ଜିଥିଲା ଏଭଳି ତୀର୍ଯ୍ୟକ ସ୍ବର। ସମୟ ଥିଲା ରାଜା ମଦନମୋହନ ସିଂଦେଓଙ୍କ ସ୍ବର୍ଣ୍ଣିମ ଶାସନର ଯୁଗ। ହେଲେ ଏଥିପାଇଁ କମ୍ କଷଣ ଭୋଗିବାକୁ ପଡ଼ି ନ ଥିଲା। ୨ଜଣ ତେଲୁଗୁ ଅଧିକାରୀଙ୍କ କୁଚକ୍ରାନ୍ତର ଶିକାର ହୋଇ ସବୁଦିନ ପାଇଁ ବନ୍ଦ ହୋଇଯାଇଥିଲା ଧରାକୋଟ ରାଜବାଟୀରେ ସ୍ଥାପିତ ଓଡ଼ିଆ ସାମ୍ବାଦିକତାର ଆଲୋକବର୍ତ୍ତିକା ତଥା ଭାଷା ଆନ୍ଦୋଳନର ଅଗ୍ନିଶିଖା ‘କେଶରୀ ପ୍ରେସ’। ଏଥିସହ କ୍ଷୁଦ୍ର ପତ୍ରିକା ‘କୋଇଲି’ ପ୍ରକାଶନରେ ପଡ଼ିଯାଇଥିଲା ଯବନିକା।
ସାମ୍ବାଦିକତାର ଅନ୍ତୁଡ଼ିଶାଳ ଗଞ୍ଜାମ। ଏଠାରୁ ପ୍ରକାଶିତ ହୋଇଥିଲା ରାଜ୍ୟର ପ୍ରଥମ ଦୈନିକ ଖବରକାଗଜ ‘ଦୈନିକ ଆଶା’। ଏହାର ସମ୍ପାଦକ ଥିଲେ ସୁସାହିତ୍ୟିକ ଶଶିଭୂଷଣ ରଥ। ୧୯୧୩ରେ ପ୍ରକାଶିତ ‘ସାପ୍ତହିକ ଆଶା’ କେବଳ ଗଞ୍ଜାମ କାହିଁକି, ଓଡ଼ିଆ ସାମ୍ବାଦିକତା ଇତିହାସରେ ଆଣିଥିଲା ଯୁଗାନ୍ତକାରୀ ପରିବର୍ତ୍ତନ। ୧୯୨୮ରେ ଏହା ପରିବର୍ତ୍ତିତ ହୋଇଥିଲା ‘ଦୈନିକ ଆଶା’ରେ। ତେବେ ଶଶିଭୁଷଣ ଯାହାଙ୍କଦ୍ୱାରା ଅନୁପ୍ରାଣିତ ହୋଇଥିଲେ ସେ ଥିଲେ ରାଜା ମଦନମୋହନ। କାରଣ ସାପ୍ତାହିକ ଆଶା ପ୍ରକାଶନର ଦୀର୍ଘବର୍ଷ ପୂର୍ବରୁ ଅର୍ଥାତ୍ ୧୯୦୩ରେ ଧରାକୋଟ ରାଜପ୍ରାସାଦରେ ସ୍ଥାପିତ ହୋଇସାରିଥିଲା ‘କେଶରୀ ପ୍ରେସ୍’। ଏହାଦ୍ୱାରା ପ୍ରାଚୀନ ପୁସ୍ତକ, ତାଳପତ୍ର ପୋଥିଗୁଡ଼ିକରୁ ସଂଗୃହୀତ ବହୁ ଉପାଦେୟ ତଥ୍ୟ ସଙ୍କଳିତ ହୋଇ ପହଞ୍ଚତ୍ଥିଲା ଜନମାନସରେ। ବିଶେଷ କରି ବ୍ରିଟିଶ ଶାସନ ଏବଂ ଅଣଓଡ଼ିଆଙ୍କ ପ୍ରାଦୁର୍ଭାବ ବିଷୟରେ ‘କୋଇଲି’ରେ ପ୍ରକାଶିତ କଟାକ୍ଷ, ବ୍ୟଙ୍ଗ ପଦ୍ୟାବଳୀ ସେହି ସମୟରେ ହାସଲ କରିଥିଲା ଅଜସ୍ର ପାଠକୀୟ ଆଦୃତି।
ଚାଷ ଏବଂ ଚାଷୀଙ୍କ ବିକାଶ ଲାଗି ଏବେ ଅନେକ ପତ୍ରିକା, ଖବର ପ୍ରକାଶ ପାଉଛି। ସରକାରୀସ୍ତରରେ ପ୍ରଦର୍ଶନୀର ଆୟୋଜନ କରାଯିବା ସହ ବିପୁଳ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦିଆଯାଉଛି। ତେବେ ଊନବିଂଶ ଶତାବ୍ଦୀର ଆରମ୍ଭରେ ଏହାକୁ ଉଠରାଇ ନେଇଥିଲେ ଦିଗ୍ଦର୍ଶୀ ରାଜା ମଦନମୋହନ। ଚାଷୀ, ଶିଳ୍ପୀମାନଙ୍କୁ ଉପଯୁକ୍ତ ଜ୍ଞାନକୌଶଳ ସମ୍ପର୍କରେ ସୂଚନା ଦେବା, ସେମାନଙ୍କର ମାର୍ଗଦର୍ଶନ କରାଇବାକୁ ୧୯୦୯ରେ ‘କେଶରୀ ପ୍ରେସରୁ ପ୍ରକାଶିତ ହୋଇଥିଲା ‘ଜ୍ଞାନଦର୍ପଣ’। ତତ୍କାଳୀନ ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ ଚିନ୍ତାମଣି ମହାନ୍ତିଙ୍କ କାନ୍ଧରେ ନ୍ୟସ୍ତ କରାଯାଇଥିଲା ଏହାର ସମ୍ପାଦନା ଦାୟିତ୍ୱ। ସେହିପରି ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା, ବିକାଶ ପାଇଁ ପଣ୍ଡିତ କାଶୀନାଥ ରାଜଗୁରୁଙ୍କ ସମ୍ପାଦନାରେ ପ୍ରକାଶିତ ହୋଇଥିଲା ‘ସମ୍ବାଦ ମିତ୍ର’। ‘ସମ୍ବଲପୁର ହିତୈଷିଣୀ’ର ୧୯୧୭ ନଭେମ୍ବର ୧୦ ସଂଖ୍ୟାରେ ଏଭଳି ଉଦ୍ୟମକୁ ଭୁରିଭୁରି ପ୍ରଶଂସା କରାଯିବା କେବଳ ଧରାକୋଟର ଗୌରବମୟ ଇତିହାସକୁ ସାରା ରାଜ୍ୟରେ ଖ୍ୟାତି ଆଣି ଦେଇ ନ ଥିଲା, ଅଧିକନ୍ତୁ ରାଜା ମଦନମୋହନଙ୍କ ଅଙ୍ଗୀକାରବଦ୍ଧତାକୁ ଦେଇଥିଲା ସ୍ବୀକୃତି।
ସାହିତ୍ୟ ସାଧନାର ପୀଠ ପାଲଟିଥିବା ଧରାକୋଟକୁ ରାଜ୍ୟର ବହୁ ସ୍ବନାମଧନ୍ୟ କବି କର୍ମଭୂମି କରିଛନ୍ତି। ଏ କ୍ଷେତ୍ରରେ ଜଣେ ହେଉଛନ୍ତି ବାଲେଶ୍ୱରର ଚିନ୍ତାମଣି ମହାନ୍ତି। ରାଜା ମଦନମୋହନଙ୍କ ଆତିଥେୟତା ଲାଭ କରି ସେ ୧୯୦୯ରେ ଧରାକୋଟ ମାଟିରେ ପାଦ ରଖିଥିଲେ। ରାଜାଙ୍କ ପୃଷ୍ଠପୋଷକତାରେ ସେ ରଚନା କରିଥିଲେ ‘ଧରାକୋଟ ଦର୍ଶନ’ ଏବଂ ‘ଉତ୍କଳ କମଳାକାବ୍ୟ’ ନାମକ ଦୁଇଟି ଉପାଦେୟ ଗ୍ରନ୍ଥ। ଭାଷାସାହିତ୍ୟ, କଳାସଂସ୍କୃତି ଏବଂ ଅଞ୍ଚଳର ବିକାଶ ପ୍ରତି ରହିଥିବା ଅନୁରାଗ ପାଇଁ ରାଜା ମଦନମୋହନଙ୍କ ଉଦ୍ଦେଶ୍ୟରେ ଧରାକୋଟ ଦର୍ଶନରେ ଯାହା ଉଲ୍ଲେଖ ରହିଛି, ତାହା ଏବେକାର ଯୁବପିଢ଼ିଙ୍କ ପାଇଁ ପ୍ରଣିଧାନଯୋଗ୍ୟ।
ଧରାକୋଟ ଗଡ଼ଜାତ ଇତିହାସରେ ଅନେକ ରାଜା ଆସିଛନ୍ତି। ସେମାନଙ୍କ କୀର୍ତ୍ତୀ, ଗାଥା, ଗୌରବ ଆଜି ବି ଦାଉଦାଉ ହେଉଛି। ଖାସ୍ କରି ରାଜା ମଦନମୋହନଙ୍କ ଶାସନ କାଳରେ ଧରାକୋଟ ଗଡ଼ଜାତ ରାଜ୍ୟରେ ହୋଇଥିଲା ପ୍ରାଚ୍ୟ-ପାଶ୍ଚାତ୍ୟ ଶିକ୍ଷାର ସମ୍ମେଳନ। ଘଟିଥିଲା କଳା, ସାହିତ୍ୟ, ଶିକ୍ଷା, ସଂସ୍କୃତିର ନବଉନ୍ମେଷ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ସେତୁବନ୍ଧରେ ସେ ସାଜିଥିଲେ ଗୁଣ୍ଡୁଚି ମୂଷା। ଆଜି ଯଦିଓ ରାଜତନ୍ତ୍ର ମଉଳି ଯାଇଛି, ତଥାପି ତାଙ୍କ କୀର୍ତ୍ତି ଓ କୃତିତ୍ୱ ଧରାକୋଟର ଅସ୍ତିତ୍ୱ ଥିବାଯାଏ ରହିଥିବ।
Writer : Bikram Prasad Panda, Dharakote, Ganjam
Facebook : https://www.facebook.com/BikramPanda444
Our Other posts :
ବାଜେ କଥା : 1 : https://dharakote.blogspot.com/2023/12/1.html
ଜଗନ୍ନାଥ ମହାପ୍ରଭୁ ଙ୍କର ଛପନଭୋଗ: https://dharakote.blogspot.com/2023/12/blog-post_5.html
ମା ତାରାତାରିଣୀ ମନ୍ଦିର ବିଷୟରେ ପଦେ : https://dharakote.blogspot.com/2023/12/blog-post.html
Stories :
ସବୁ ସ୍ବାର୍ଥପର ତୁ ଏକା ନିଜର : https://dharakote.blogspot.com/2023/12/blog-post_10.html
No comments:
Post a Comment